current location : Lyricf.com
/
Songs
/
ରେ ଆତ୍ମନ୍! ନିଦ୍ରା ପରିହରି [Re Atman Nidra Parihari] lyrics
ରେ ଆତ୍ମନ୍! ନିଦ୍ରା ପରିହରି [Re Atman Nidra Parihari] lyrics
turnover time:2024-06-02 22:47:49
ରେ ଆତ୍ମନ୍! ନିଦ୍ରା ପରିହରି [Re Atman Nidra Parihari] lyrics

ରେ ଆତ୍ମନ୍! ନିଦ୍ରା ପରିହରି

ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ,

ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି

ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ |୧|

କି ବେଗରେ ଯାଉଅଛି ଚାଲି

ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି,

ଯାହାର ସ୍ମରଣେ ନର ଶୋକଶ୍ଵାସ ଢାଳି

ଅତୀତକୁ ଉଦ୍ବୋଧଇ ବୃଥା ଭାଳି ଭାଳି |୨|

ସ୍ଵପ୍ନ ସମ ନିଦ୍ରା-ପାରାବାରେ

କ୍ଷଣକେ ହୁଅଇ ଲୀନ ଗର୍ବ ଦମ୍ଭ ଅଭିମାନ

ସଂସାରରେ ଆଡମ୍ବର ବୁଦ୍‌ବୁଦ ଆକାରେ

ସକଳ ଗ୍ରାସଇ କାଳ-ମୁଖ ନିର୍ବିଚାରେ |୩|

ସେ ସିନ୍ଧ-ତରଙ୍ଗ ମୁଖ ପ୍ରତି

ଆକୃଷ୍ଟ ଅଦୃଶ୍ୟଭାବେ ହେଉଅଛି ସବୁ ଭବେ,

ମୃଦୁ ନିର୍ଝରିଣୀ, ମହାବେଗା ସ୍ରୋତସ୍ଵତୀ,

ସୁଦୀନ ମନୁଷ୍ୟ, ମହାଯଶା ମହୀପତି |୪|

ଭବସିନ୍ଧୁ ମାୟାଶୈଳମୟ,

ସମସ୍ତ ଛଳନାପୂର୍ଣ୍ଣ, ସେ ଶୈଳେ ସର୍ବଦା ଚୂର୍ଣ୍ଣ

ହୁଅଇ ଆଶାର ତରୀ, କାମନାନିଚୟ

ବିଫଳ ସତତ, ଚିତ୍ତ ନୈରାଶ୍ୟ-ଆଳୟ |୫|

ଜଗତର ଲୋଚନନନ୍ଦନ

ଯୁବତୀର ରକ୍ତାଧାର, ରମ୍ୟ ଜ୍ୟୋତି ନୟନର

ସ୍ଵର୍ଣ୍ଣ ଗନ ସମ ବକ୍ଷ, ଚାରୁ ପଦ୍ମାନନ,

ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବହନ |୬|

ଯୁବକର ତେଜ ବୀର୍ଯ୍ୟ ବଳ

ପୌଢ଼ର ଚତୁର ଜ୍ଞାନ ସୁକୌଶଳ କାର୍ଯ୍ୟମାନ

କାଳର ପ୍ରଭାବେ ଦିନେ ହୋଇବ ବିଫଳ,

କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ! |୭|

ଧନ ମାନ ଯଶ ଆଦି ଯାହା

ଭାଗ୍ୟଦେବୀ ପ୍ରସାଦରେ ଏ ଭବେ ଲଭନ୍ତି ନରେ

କାଳଚକ୍ର ଆବର୍ତ୍ତନେ କି ବେଗରେଆହା

ପଳାନ୍ତିରେ ଅନୁସରି ନିଜ ନିଜ ରାହା! |୮|

ବିମୋହନ ମନ୍ମଥ ବିଳାସ

ଟାଣେ ମନ ମାୟାଯନ୍ତ୍ରେ, ଭୁଲାଏ କପଟ ମନ୍ତ୍ରେ,

କୌଶଳେ ଜନ୍ମଇ ଚିତ୍ତେ, କ୍ଷଣିକ ଉଲ୍ଲାସ

ରିପୁକୁଳ ବିପ୍ଳବକୁ କରାଏ ପ୍ରକାଶ |୯|

ଆତ୍ମାରାଜ୍ୟେ ସେ ଭୀମ ବିପ୍ଳବେ

ଧର୍ମର ପୂଣ୍ୟ ରାଜତ୍ବ ପ୍ରଜ୍ଞାର ମହତ ତତ୍ତ୍ବ

ହୁଏ ପରହତ, ପାପ ଗର୍ଜ୍ଜଇ ଭୈରବେ,

ପଳାୟନ କରେ ଶାନ୍ତି ସେହି ଉପଦ୍ରବେ |୧୦|

ମୁକୁଟମଣ୍ଡିତ ରାଜଶିର

ନୁହଇ ଶାନ୍ତି-ଆସ୍ପଦ, ଆଶଙ୍କା ଭୟ ବିପଦ

ନିରନ୍ତର ରାଜ ମନ କରଇ ଅସ୍ଥିର|

ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର |୧୧|

ଏ ସଂସାରେ ନାହିଁ ସୁଖ ଶାନ୍ତି

ଅହଙ୍କାର ଦ୍ବେଷ ରୋଷ ଲୋଭ ମୋହ ଅସନ୍ତୋଷ

ଦୁଷ୍ଟ ରିପୁକୁଳ ଘୋର ଅନର୍ଥ ଘଟାନ୍ତି,

ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି |୧୨|

କାହିଁ ଶାନ୍ତି, କାହିଁ ନିତ୍ୟସୁଖ,

ଯାହା ଲଭିବାର ଲାଗି ଅଛି ଅବିରତ ଜାଗି

ଚିତ୍ତଗୃହେ ଆଶାଦୀପ ଉଜ୍ଜ୍ବଳମୟୁଖ,

କାହିଁ ଗଲେ ପାସୋରିବି ମୃତ୍ୟୁ ପାପ ଦୁଃଖ |୧୩|

ରେ ହୃଦୟ! ନ ହୁଅ କାତର,

ସଂସାରର ବିଡମ୍ବନା ପାପ ସନ୍ତାପ ଯାତନା

ବିପଦ ଦୁର୍ଦ୍ଦିନତମ ଘୋର ଭୟଙ୍କର

ନିରେଖି ନିରାଶାବିଷେ ନ ହୁଅ ଜର୍ଜ୍ଜର |୧୪|

ଧର ଧୈର୍ଯ୍ୟ ଘେନ ରେ ସାନ୍ତ୍ବନା,

ଅଛି ସେହି ମହାଧନ, ସେ ମହାସ୍ପର୍ଶରତନ,

ସେ ଅମୃତ ମହୌଷଧ, ଯାହାର କାମନା

ଆଶା, ଜାଗ୍ରତ ସତତ, କରେ ଉଦ୍ଦୀପନା |୧୫|

ସ୍ଥିର ହୁଅ ରେ ଚଞ୍ଚଳ ମନ,

ଘେନ ମହାତତ୍ତ୍ବ ଦୀକ୍ଷା, ଜୀବନ ପରମ ଶିକ୍ଷା,

ତେବେ ରେ ଲଭିବୁ ସେହି ପ୍ରାଣାରାମ ଧନ,

ଆକୁଳ ହୃଦୟ କରେ ଯାହାର ଅନ୍ବେଷଣ |୧୬|

ଧୂଳିର ଏ ମର କଳେବର,

ଆହୋ ମାନବ ଜୀବନ କି ଅଦ୍ଭୁତ ଉଦ୍ଭାବନ!

ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ,

କମଳ ଶୋଭଇ ଯଥା ପଙ୍କମୟ ସରେ |୧୭|

ଏ ସଂସାର ଅନ୍ଧକାର ସ୍ଥାନ

ଅନ୍ଧାରେ ହେଲେ ଜଡିତ ନ ହୁଅଇ ବିକଶିତ

ଜୀବାତ୍ମା-କୁସୁମ ଏଥି, ହୁଏ ମ୍ରିୟମାଣ

ହରାଇଣ ଦିବ୍ୟ ଶୋଭା ପ୍ରେମ ଭକ୍ତି ଜ୍ଞାନ |୧୮|

ଦିବାକରେ ନିରେଖି ଗଗନେ

ହର୍ଷେ ଫୁଟେ ପଦ୍ମଫୁଲ ତେସନେ ଆତ୍ମା ପ୍ରଫୁଲ୍ଲ

ଅନନ୍ତ ମଙ୍ଗଳାଳୟ ବିଭୁ ଦରଶନେ

ପୂଣ୍ୟର ତପନ ଯେହୁ ପାପର ଭୁବନେ |୧୯|

ଯହିଁ ତେବେ ଭୁଞ୍ଜନ୍ତି ଅମୃତ

ବିଭୁପାଦପଦ୍ମ ପାଶେ, ପୁଣ୍ୟ ଜୋତିର୍ମୟ ବାସେ

ରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ,

ସେ ସୁଧାମ ଲାଗି ଆତ୍ମା ସଦା ପିପାସିତ |୨୦|

ଏ ପିପାସା ନୁହଇ ନିବାରି

ଅସାର ସଂସାର ଜଳେ, ରିପୁଚୟ କୋଳାହଳେ

ନୋହେ ନିର୍ବାପିତ କେଭେ; ଏକା ଧର୍ମବାରି

ଶମଇ ଏ ମହା ଅଗ୍ନି ଅମୃତ ସଞ୍ଚାରି |୨୧|

ତେବେ ଆରେ ଅସ୍ଥିର ହୃଦୟ,

ତ୍ୟଜି କୁତ୍ସିତ ବାସନା କର ତାଙ୍କ ଆରାଧନା

ଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ-ଆଳୟ,

ଅମୃତଜୀବନଦାତା ବ୍ରହ୍ମାଣ୍ଡ ଆଶ୍ରୟ |୨୨|

ପରିହରି ପାପ ପ୍ରଲୋଭନ

ଉଜ୍ଜ୍ବଳ କର ବିଶ୍ବାସ, ସ୍ବାର୍ଥ ଅହଙ୍କାର ନାଶ,

କର ରେ ହୃଦୟାକାଶ ନିର୍ମଳ ବହନ,

ତେବେରେ ଲଭିବୁ ଧର୍ମରସ ଆସ୍ବାଦନ |୨୩|

ପ୍ରୀତିମୟ ଜୀବନରତନ

ତେବେ ତୋତେ ପରମେଶ, ତାଙ୍କର ପବିତ୍ରାଦେଶ

ନିଃସ୍ବାର୍ଥ ପବିତ୍ର ଚିତ୍ତେ କରରେ ସାଧନ,

ଜଗତର ହିତ ଅର୍ଥେ ଦିଅରେ ଜୀବନ |୨୪|

ହେ ଇଶ୍ବର ପରିତତାରଣ,

ପ୍ରାଣର ମୋ ନିରଞ୍ଜନ, ଭୟ ବିଘ୍ନବିନାଶନ,

ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ,

ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ |୨୫|

ଆସ ନାଥ ଅଗତିର ଗତି,

ତୁମ୍ଭ ବିନା ଏ ସଂସାରେ ମରଇ ମୁଁ ହାହାକାରେ

ତାର ମୋତେ ମହାପ୍ରଭୁ ଦେଇଣ ସୁମତି,

ଅନନ୍ତ ଦୟା ତୁମ୍ଭର, ଅନନ୍ତ ଶକତି|୨୬|

*************ସମାପ୍ତ**************

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Pranab Pattnaik
  • Languages:Odia
Pranab Pattnaik
Latest update
Copyright 2023-2024 - www.lyricf.com All Rights Reserved